[go: nahoru, domu]

Jump to content

ଅର୍ଘ୍ୟଥାଳୀ/ଫକୀରମୋହନଙ୍କ ମୃତ୍ୟୁଶଯ୍ୟା ନିକଟରେ ଉତ୍କଳମାତାର ରୋଦନ

ଉଇକିପାଠାଗାର‌ରୁ
ଅର୍ଘ୍ୟଥାଳୀ
ଲେଖକ/କବି: ଗଙ୍ଗାଧର ମେହେର
ଫକୀରମୋହନଙ୍କ ମୃତ୍ୟୁଶଯ୍ୟା ନିକଟରେ ଉତ୍କଳମାତାର ରୋଦନ


ଫକୀରମୋହନଙ୍କ ମୃତ୍ୟୁଶଯ୍ୟା ନିକଟରେ ଉତ୍କଳମାତାର ରୋଦନ
ଲେଖକ/କବି: ଗଙ୍ଗାଧର ମେହେର



ଆହା ଫକୀର ମୋର ରଙ୍କୁଣୀ-ଧନ,
କିପାଁ ରହିଲୁ ପଡ଼ି ମୁଦି ନୟନ,
ଆକୁଳେ ଡାକୁଅଛି ମୁଁ, ତୋ’ ଜନନୀ,
କିପାଁ ନ ଉଠୁ ଏ ତ ନୁହେଁ ରଜନୀ ରେ ।

ଉଠ ମୋ’ ବାପ ପଦ୍ମନେତ୍ର ପ୍ରକାଶି,
ମଧୁର କଥା ପଦେ କହି ଆଶ୍ୱାସି,
ତୋ’ ବିନା ଆଉ କେ ବା ଅଛି ଜଗତେ,
ପ୍ରାଣତୋଷିଣୀ କଥା କହିବ ମତେ ରେ ।

ମୋ’ ଲାଗି ନ ଗଣୁ ତୁ ଖରା ବରଷା,
ସେ ଘେନି ତୋ’ ଠାରେ ମୋ’ ସବୁ ଭରସା,
ନିଶୀଥେ ଉଠିପଡ଼ୁ ଶୁଣି ମୋ’ ଡାକ,
ଆଜି ତୋ’ ମୁଖୁଁ କିପାଁ ନ ସ୍ଫୁରେ ବାକ୍ୟ ରେ ।

ନ ଗଣୁ ଜ୍ୱରତାପ ମୋହରି ପାଇଁ,
ନ ଗଣି ଦୂର ଯାଉ ସତ୍ୱର ଧାଇଁ,
ଆଜି ଯେ କାନ୍ଦୁଅଛି ବସି ତୋ’ ପାଶେ,
କିପାଁ ନ ଚାହୁଁ ବାପ, ଉଠି ସତ୍ରାସେ ରେ ।

ନିତି ରାତିରେ ତୁ ଯେ ନୟନ ମୁଦୁ,
ଉଠାଇଥାଏଁ ତୋତେ ରବି ନ ଉଦୁ,
ଶୁଣାଇବାକୁ ମୋତେ ସରସ ଗାନ,
ଶିଖାଇବାକୁ ତୋର ଭାଇଙ୍କି ଜ୍ଞାନ ରେ ।

ଦିବସେ ଥରେ ଥରେ ନୟନ ମୁଦି,
ମୋ’ ଦୁଃଖ ହରିବାକୁ ଲୋଡ଼ୁ ଯେ ବୁଦ୍ଧି,
ପୁଣି ନୟନ ଫେଡ଼ି କଲମ ଧରୁ,
ଆଜି କିମ୍ପାଇ ବାପ, ତାହା ନ କରୁ ରେ ।

ଦୀର୍ଘ ସମୟ ଅବା ମୁଦି ନୟନ,
ଲୋଡ଼ୁଛି ମୋହୋ ପାଇଁ ସୁଖ-ଅୟନ,
ତେବେ କାହିଁକି ଛାଡ଼ୁନାହିଁ ନିଶ୍ୱାସ,
ଚାହିଁବୁ ବୋଲି ହେଉ ନାହୁଁ ବିଶ୍ୱାସ ରେ ।

ଶିଖି ଯେ ଥିଲୁ ବାପ, ଯୋଗସାଧନ,
ରୁଦ୍ଧ କି କରିଅଛୁ ପ୍ରାଣ-ପବନ,
ଏଡ଼େ ଶୀତଳ କିପାଁ ତୋ’ ଅପଘନ,
ସତେ କି ଛାଡ଼ିଗଲୁ ଜୀବର ଧନ ରେ ।

ଏରୂପେ ରାଧୁ ମଧୁ ଗଲେ ତ କାହିଁ,
ଯେତେ ଡାକିଲେ ପଦେ ଶୁଣିଲେ ନାହିଁ,
ତୁ ଏବେ ମୋ’ ଡାକକୁ ହେଲୁ ବଧିର,
କିଏ ପୋଛିବ ମୋର ନୟନନୀର ରେ ।

କୋଳେ ବସାଇ ତିନି କୁମରମଣି
ନିଜକୁ ଥିଲି ଭାଗ୍ୟଶାଳିନୀ ମଣି,
ମନରେ ବହିଥିଲି କେଡ଼େ ଗରବ,
ଦଇବ ହରିନେଲାଆଜି ସରବ ରେ ।

ଶେଷେ ତୁ ଶୂନ୍ୟ କରି ଜନନୀକୋଳ,
ହୃଦେ ଉଠାଇଦେଲୁ ଶୋକକଲ୍ଲୋଳ,
କୋଟିଏ ସୁତ ମଧ୍ୟେ ଗୋଟିଏ କାହିଁ,
ଦେଖୁ ତ ନାହିଁ ଶାନ୍ତି ଭଜିବା ପାଇଁ ରେ ।

ମୋ’ ରାଧୁ ମଧୁ ଗଲେ ଯେଉଁ ବିଦେଶ,
ଦେଲେ ତ ନାହିଁ ଆଜିଯାଏ ସନ୍ଦେଶ,
ତୁହି କି ସେହି ଦେଶେ ଗଲୁ ରେ ଚାଲି,
ପାରିଲି ନାହିଁ ତୋର ପଥ ଓଗାଳି ରେ ।

ତାଙ୍କ ବିରହେ ଦଗ୍‌ଧ ହେଲେ ମୋ’ ପ୍ରାଣ,
କରୁ ଯେ ଶୋକହର ସଙ୍ଗୀତ ଗାନ,
ସେ ପୋଥି ଦେଇଗଲୁ କାହାର ହସ୍ତେ,
କିଏ ଗାଇବ ତୁହି ଗାଉ ଯେମନ୍ତେ ରେ ।

ଯେତିକି ହେଉଥିଲା ତୋର ବୟସ,
ତେତିକି ହେଉଥିଲା ଗାନ ସରସ,
ତୋ’ ପରି ଜ୍ଞାନସିଦ୍ଧ କୁମର ଥାଉ,
ଦେଖିବି କାହିଁ ବାପ, ଲଭିବା ଥାଉ ରେ ।

ଆଣ ରେ ରାମାୟଣ ମହାଭାରତ,
ଆଉ ତା’ ପୋଥି ଅଛି ଭାର ଭାର ତ,
ଗାଅ ରେ ପୁଏ କରି ସମୁଚ୍ଚ ରବ,
କିଞ୍ଚିତେ ହେବ ଅବା ଶୋକ ଖବର ରେ ।

ତା’ ନାମ ଲେଖ ମୋର ସର୍ବ ଅଙ୍ଗରେ,
ଅକ୍ଷର ଖୋଳି ଭର ଦିବ୍ୟ ରଙ୍ଗରେ,
ତେବେ ବା ଘୁଞ୍ଚିବ ମୋ’ ଜୀବନ-ଦାହ,
ତା’ପରେ କର ଆଉ ଏକ ଉପାୟରେ ।

ତା’ ନାମାବଳୀ ଦିବ୍ୟରଙ୍ଗେ ବସନେ
ଲେଖି ଘୋଡ଼ାଇଦିଅ ମୋ’ ଅପଘନେ,
ସେ ବାସେ ପୋଛ ମୋର ନୟନବାରି,
ତହିଁ ବା ହେବ ଶୋକଭାର ନିବାରି ରେ ।

ତା’ ତନୁ ଭସ୍ମ ଆଣି ବୋଳ ମୋ’ ଅଙ୍ଗେ,
ତା’ ପ୍ରତିରୂପ ଦିଅ ମୋର ଉତ୍ସଙ୍ଗେ,
ଲୋତକ ପୋଛି ପୋଛି ତା’ ଚାହିଁ ଚାହିଁ,
ଜୀବନ କଟାଇବି ତା’ ଗୁଣ ଗାଇ ରେ ।

•••